ନୂଆଦିଲ୍ଲୀ ୦୯।୦୧; ମହାରାଷ୍ଟ୍ରର ବୁଲଢାଣା ଜିଲ୍ଲାରେ ଆତଙ୍କ ଖେଳାଇଛି ଅଜଣା କେଶଝଡ଼ା ରୋଗ । ଏହା ବ୍ୟାପିବାରେ ଲାଗିଛି । ଗତ ସପ୍ତାହେ ମଧ୍ୟରେ ସେଠାକାର ଶେଗାଓଁ ତହସିଲ ଅନ୍ତର୍ଭୁକ୍ତ ୩ଟି ଗାଁ (ବୋରଗାଓଁ, କଲୱାଡ୍ ଓ ହିଙ୍ଗନା)ର ୬୦ ଜଣ ଲୋକ ଅଚାନକ ଚନ୍ଦା ହୋଇଯାଇଛନ୍ତି। ପିଲାଙ୍କଠାରୁ ବୟସ୍କଙ୍କ ପର୍ଯ୍ୟନ୍ତ ସମସ୍ତଙ୍କର ପୁଳା ପୁଳା କେଶ ଝଡୁଛି । ମହିଳାମାନେ ଏହାଦ୍ୱାରା ସର୍ବାଧିକ ପ୍ରଭାବିତ ହେଉଛନ୍ତି । ସେଥିଯୋଗୁ ୩ଟିଯାକ ଗାଁର ଲୋକେ ଏବେ ଭୟଭୀତ ଅବସ୍ଥାରେ ଅଛନ୍ତି । ଗ୍ରାମବାସୀଙ୍କ ମଧ୍ୟରେ ବ୍ୟାପୁଥିବା ଏହି ରୋଗ ସଂପର୍କରେ ଅଦ୍ୟାବଧି କିଛି ସୂଚନା ମିଳିନାହିଁ । ଏହି ରୋଗ କାଳେ ବଂଶଗତ ହୋଇଥିବ, ସେ ସଂପର୍କରେ ଜାଣିବା ଲାଗି ସ୍ୱାସ୍ଥ୍ୟ ବିଭାଗର ଟିମ୍ ସେଠାକୁ ଯାଇ ସର୍ଭେ କରିଛି । ଗ୍ରାମବାସୀଙ୍କର କେଶ ଓ ଚର୍ମ ନମୁନାକୁ ପରୀକ୍ଷଣ ଲାଗି ସଂଗ୍ରହ କରାଯାଇଛି । ପାଣିର ନମୁନା ବି ସଂଗୃହୀତ ହୋଇଛି । ଏହି ରୋଗ ହେଲେ ପ୍ରଥମ ଦିନ ବ୍ୟକ୍ତିଙ୍କର ମୁଣ୍ଡ କୁଣ୍ଡାଇ ହୋଇଥାଏ ।
ଦ୍ୱିତୀୟ ଦିନ ପୁଳା ପୁଳା କେଶ ଉପୁଡି଼ଥାଏ। ତୃତୀୟ ଦିନ ବ୍ୟକ୍ତିଙ୍କ ମୁଣ୍ଡର ଏକ ବଡ଼ ଅଂଶରୁ କେଶ ପଳାଇଥାଏ । ଏହାପରେ ଅନେକ ବ୍ୟକ୍ତି ସଂପୂର୍ଣ୍ଣ ଚନ୍ଦା ବି ହୋଇଯାନ୍ତି । ପୀଡି଼ତମାନେ ଏ ସଂପର୍କିତ କିଛି ଭିଡିଓ ମଧ୍ୟ ଶେୟାର କରିଛନ୍ତି । ସେଥିରେ ସେମାନଙ୍କ କେଶକୁ ସାମାନ୍ୟ ଛୁଇଁବା ମାତ୍ରେ ପୁଳା ପୁଳା କେଶ ଝଡୁଥିବା ଦେଖିବାକୁ ମିଳୁଛି । ସେଥିଯୋଗୁ ଲୋକେ ଭୟଭୀତ ଅବସ୍ଥାରେ ଅଛନ୍ତି । ବୁଲଢାଣାରେ ଏହି ଅଜଣା ରୋଗ ଦ୍ୱାରା ପ୍ରଭାବିତ ଅଧିକାଂଶ ରୋଗୀ ଏବେ ଘରୋଇ ହସ୍ପିଟାଲରେ ଚିକିତ୍ସା ଆରମ୍ଭ କରିଦେଇଛନ୍ତି । ଅଚାନକ ବ୍ୟାପୁଥିବା ଏହି ରୋଗ ଯୋଗୁ ସ୍ୱାସ୍ଥ୍ୟ ବିଭାଗ ବି ଚିନ୍ତାରେ ପଡ଼ିଛି । ଗାଁଗୁଡି଼କୁ ଗସ୍ତ କରିଥିବା ସ୍ୱାସ୍ଥ୍ୟ ବିଭାଗର ଟିମ୍ କହିଛି, ପ୍ରାୟ ୬୦ ଜଣ ଲୋକ ଏହି ସମସ୍ୟା ଦ୍ୱାରା ପ୍ରଭାବିତ ହୋଇଥିବା ସୂଚନା ମିଳିଛି । ଏହି ସଂଖ୍ୟା ବଢ଼ିପାରେ ।
ପ୍ରଦୂଷିତ ପାଣି (ପାଣିରେ ସାରର ମାତ୍ରା ଥିବା) ଓ ସ୍ୱାସ୍ଥ୍ୟଗତ ସମସ୍ୟା ଯୋଗୁ ଏଭଳି କେଶଝଡ଼ା ରୋଗ ହୋଇଥାଇପାରେ ବୋଲି ଡାକ୍ତରମାନଙ୍କର ମତ । ପରୀକ୍ଷଣର ଫଳାଫଳ ଆସିବା ପରେ ପ୍ରକୃତ କାରଣ ସାମ୍ନାକୁ ଆସିବ । ସେ ପର୍ଯ୍ୟନ୍ତ ଗ୍ରାମବାସୀଙ୍କୁ ଜଗିରଖି ଚଳିବାକୁ କୁହାଯାଇଛି । ସେପଟେ ଶେଗାଓଁ ତହସିଲର ସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ଦୀପାଳୀ ରାହତକରଙ୍କ ଅନୁସାରେ, ଶାମ୍ପୁ ବ୍ୟବହାର ଯୋଗୁ ଏହା ହୋଇଥାଇପାରେ । ଅବଶ୍ୟ କିଛି ପୀଡି଼ତ କେବେହେଲେ ରସାୟନଯୁକ୍ତ ଶାମ୍ପୁ ତ ଦୂରର କଥା, ସାବୁନ ବି କେଶରେ ଲଗାଇନଥିବା କହିଛନ୍ତି । ତଥାପି ସେମାନଙ୍କର କେଶ ଝଡୁଛି । ଆମେରିକାନ୍ ଏକାଡେମୀ ଅଫ୍ ଡର୍ମାଟୋଲୋଜି ଅନୁସାରେ, ଗୋଟିଏ ଦିନରେ ଜଣେ ବ୍ୟକ୍ତିଙ୍କର ୫୦-୧୦୦ଟି କେଶ ଝଡି଼ବା ସାଧାରଣ କଥା । ଯଦି ଜଣଙ୍କର ମୁଣ୍ଡରେ ପ୍ରାୟ ୧ ଲକ୍ଷ କେଶ ରହିଛି ତେବେ ବେଶୀ କିଛି ଚିନ୍ତା କରିବା କଥା ନୁହେଁ । କିଛି କେଶ ଝଡି଼ବା ଓ ସେହି ସ୍ଥାନରେ ନୂଆ କେଶ ଉଠିବା ଏକ ସ୍ୱାଭାବିକ ପ୍ରକ୍ରିୟା ।